Wednesday, October 23, 2013

ଲୋକ ଚରିତ୍ର



ସଂସାର ର ନିୟମ ବଡ ବିଚିତ୍ର କିନ୍ତୁ ତା ଠାରୁ ବିଚିତ୍ର ହେଲା ମଣିଷ ଚରିତ୍ର ୤ ମଣିଷ ସବୁ ବୁଝେ ସବୁ ଜାଣେ କିନ୍ତୁ ଜାଣି ଶୁଣି ଭୁଲ କରେ ୤ ଜଣେ ଚୋରୀ କରୁଛି ବା ଲାଞ୍ଚ ନେଉଛି ଆମେ ତାକୁ ସମାଲୋଚନା କରୁଛୁ ୤ ଭୁଲ ବୋଲି କହୁଛୁ ୤ ଆମେ ଯେତେବେଳେ ସେ ସୁଯୋଗ ପାଉଛୁ ସେତେବେଳେ ଆମେ ଲାଞ୍ଚ ନେବାକୁ ପଛାଉନାହିଁ ୤ ସେତେବେଳେ ଆମେ ତାକୁ ଭୁଲ ବୋଲି ଭାବୁନାହୁଁ ୤ ଲୋଭ ହିଁ ଆମର ନୈତିକତାକୁ ଗ୍ରାସ କରୁଛି ୤ ସେଥିପାଇଁ ଆମ ମନରେ ଭିନ୍ନ ବିଚାର ଆସୁଛି ୤ ମାସକୁ ୧୦୦୦ ଟଙ୍କା ରୋଜଗାର କରୁଥିବା ଲୋକ ଲାଞ୍ଚ ଖାଉଛି ୤ କାରଣ ତାର ଅଭାବ ଅଛି ୤ କିନ୍ତୁ ମାସକୁ ୧ଲକ୍ଷ ଟଙ୍କା ରୋଜଗାର କରୁଥିବା ଲୋକର କ’ଣ ଅଭାବ ଅଛି ? ସେ କାହିଁକି ଲାଞ୍ଚ ନେଉଛି ? କାରଣ ହେଉଛି ଲୋଭ ଓ ଅହଁକାର ୤ ଶୀତ , ଖରା ଓ ବର୍ଷା ରୁ ରକ୍ଷା ପାଇବା ପାଇଁ ଆମର ଘର ଖଣ୍ଡେ ଦରକାର ୤ ତାହା ନଡା ଛପର ହେଉ କି କୋଠା ଘର ହେଉ ୤ କିନ୍ତୁ ଆମ ମନରେ ଯଦି ବିଚାର ଆସେ ଯେ ମୁଁ ଏମିତି ଘର ଖଣ୍ଡେ କରିବି ତାହା ଯେମିତି ଏ ସହରର ସବୁଠୁ ଦାମୀ ଘରଟିଏ ହେବ ୤ ମୁଁ ଏମିତି ଗାଡି ଟିଏ ଚଢିବି ତାହା ଯେମିତି ସମସ୍ତଙ୍କ ଠାରୁ ଦାମିକା ହୋଇଥିବ ୤ ତା ହେଲେ ଯେତେ ରୋଜଗାର କଲେ ମଧ୍ୟ ଆମକୁ ଅଭାବ ବୋଧ ହେବ ୤ ସେତେବେଳେ ଆମେ ଚୋରୀ କରିବାକୁ ବା ଲାଞ୍ଚ ନେବାକୁ ପଛାଇବୁ ନାହିଁ ୤ କିନ୍ତୁ ଆମ ସମାଜରେ ଲୋକ ଚରିତ୍ର ଓଲୋଟା ୤ ସମାଜର ଲୋକ ମାନେ  ସେହିଭଳି ବିଚାରର ଲୋକଙ୍କୁ ବେଶି ସମ୍ମାନ ଓ ଉଚ୍ଚସ୍ଥାନ ଦେଉଛନ୍ତି ୤ ଜଣେ ଗାଡି ଚଢିବା ପାଇଁ ସକ୍ଷମ ଲୋକ ଯଦି ସାଇକଲ ଚଢିଲା ତାକୁ ଆମେ ସମାଲୋଚନା କରୁଛୁ ହେୟଜ୍ଞାନ କରୁଛୁ ୤ କିନ୍ତୁ ଆମେ ଚିନ୍ତା କରିବା ଦରକାର ଯେ ସେ ମହତ କାର୍ଯ୍ୟ କରୁଛି ୤ ସାଇକଲ ଚଢିବା ଦ୍ୱାରା ପରିବେଷ ଦୂଷିତ ହେଉନାହିଁ ୤ ନିଜର ଭବିଷ୍ୟତ ଓ ଦେଶର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରି ପାରୁଛି ୤ କାରଣ ବିଦେଶରୁ ତୈଳ ଆମଦାନି ଯୋଗୁ ଦେଶକୁ ଅନେକ କ୍ଷତି ସହିବାକୁ ପଡୁଛି ୤ ସର୍ବପରି ସାଇକେଲ ଚଳାଇବା ଦ୍ୱାରା ମଣିଷ ଦୈନିକ କିଛି ଶାରିରିକ ପରିଶ୍ରମ କରିବା ଯୋଗୁ ସୁସ୍ଥ ଓ କାର୍ଯ୍ୟକ୍ଷମ ରହିପାରିବ ୤ ତେଣୁ ଆମେ ତାକୁ ପ୍ରଶଂସା କରିବା ଦରକାର ଓ ଉତ୍ସାହିତ କରିବା ଦରକାର ୤ କିନ୍ତୁ ଆମେ କରୁଛୁ ଓଲୋଟା ୤
ବାବା ରାମଦେବ କହିଲେ ବିଦେଶୀ ବ୍ୟାଙ୍କରେ ଯେଉଁ କଳା ଟଙ୍କା ଅଛି ତାହା ଦେଶକୁ ଆସିବା ଦରକାର ୤ ସେ ଟଙ୍କା ଆସିଲେ ଦେଶର ଅବସ୍ଥା ଯେ ନିଶ୍ଚୟ ବଦଳିଯିବ ସେକଥା ଆମେ ସମସ୍ତେ ଜାଣିଛୁ ୤ କିନ୍ତୁ ତାଙ୍କୁ ଆମେ ସମାଲୋଚନା କରୁଛୁ ୤ ସେ ରାଜନୀତି କରୁଛନ୍ତି ବୋଲି କହୁଛୁ ୤ ଆନ୍ନା ହଜାରେ ଶାସନରେ ସଂସ୍କାର ଆଣିବା ପାଇଁ,ଲୋକଙ୍କୁ ନ୍ୟାୟ ଦେବା ପାଇଁ , ଦେଶରୁ ଭ୍ରଷ୍ଟାଚାର ଓ ଦୁର୍ନୀତି ହଟାଇବା ପାଇଁ ୧୩ ଦିନ ଅନଶନ କଲେ ଦେଶର ଲୋକଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲେ ୤ ତାଙ୍କୁ ଆମେ ସମାଲୋଚନା କଲୁଁ ୤ ବିଭିନ୍ନ ପ୍ରକାର ବିଶ୍ଳେଷଣ ଲଗାଇ ତାଙ୍କୁ ନିନ୍ଦା କଲୁଁ ୤ ଏହା କ’ଣ ତାଙ୍କ ତ୍ୟାଗର ମୂଲ୍ୟ ?
ଅନ୍ୟକୁ ଉପଦେଶ ଦେବା ଖୁବ ସହଜ କିନ୍ତୁ ତାକୁ କାର୍ଯ୍ୟରେ ପାଳନ କରିବା ଖୁବ କଷ୍ଟ ୤ ତେଣୁ ଅନ୍ୟକୁ ଦୋଶ ଦେବା ପୂର୍ବରୁ ପ୍ରଥମେ ନିଜେ ସେପରି କରି ଦେଖାଇବା ଉଚିତ ୤ ଏଠାରେ ଗୋଟେ କଥା ମନେ ପଡେ , ଥରେ କସ୍ତୁରବାଙ୍କ ଶରୀର ଅସୁସ୍ଥ ହେଲା ଡାକ୍ତର ତାଙ୍କୁ ଚିନି ଖାଇବାକୁ ମନାକଲେ ୤ ଗାନ୍ଧିଜୀ କସ୍ତୁରବାଙ୍କୁ ଚିନି ଖାଇବାକୁ କହିଲେ କିନ୍ତୁ କସ୍ତୁରବା ଚିନି ଖାଇବାରେ ଏତେ ଅଭ୍ୟସ୍ତ ଥିଲେ ଯେ ପ୍ରଥମେ ସେ ଏଥିରେ ରାଜି ହେଲେ ନାହିଁ ୤ ଗାନ୍ଧିଜୀ ମଧ୍ୟ ଖୁବ ଚେନି ପ୍ରିୟ ଥିଲେ ୤ ଏଣୁ ସେ ପ୍ରଥମେ ଚିନି ଖାଇବା ବନ୍ଦ କଲେ ୤ ଅବଶ୍ୟ ତାଙ୍କୁ ପ୍ରଥମେ ଟିକେ ଅସୁବିଧା ହୋଇଥିଲା କିନ୍ତୁ ସେ ସମ୍ପୁର୍ଣ୍ଣ ଭାବେ ଚିନି ଖାଇବା ବନ୍ଦ କଲେ ୤ ଫଳରେ କସ୍ତୁରବା ବାଧ୍ୟହୋଇ ଚିନି ଖାଇବା ମଧ୍ୟ ବନ୍ଦ କରିଥିଲେ ୤ ଆଦର୍ଶନିୟ ହେବାକୁ ହେଲେ ପ୍ରଥମେ ନିଜକୁ ତ୍ୟାଗୀ ଓ ନିଶ୍ୱାର୍ଥପର କରି ଗଢି ତୋଳିବାକୁ ହେବ ୤ ମନରୁ ଅହଂଭାବ ପରିତ୍ୟାଗ କରିବା ଦରକର କାରଣ ମଣିଷ ସବୁବେଳେ ନିଜକୁ ଅନ୍ୟମାନଙ୍କ ଠାରୁ ଉର୍ଦ୍ଧସ୍ତରରେ ରଖିବାକୁ ଚାହେଁ ୤ ଉଚ୍ଚମନା ହେବା ଭଲ ୤ ଉଚ୍ଚଆଶା ରଖିବା ଭଲ ୤ କିନ୍ତୁ ଅହଂକାରୀ ହେବା ଓ ଉଚ୍ଚଅହଂକାରୀ ହେବା ମାନବତାର ପରିପନ୍ଥି ୤ କଥାରେ ଅଛି ଅତି ଦର୍ପେ ହତେ ଲଙ୍କା ୤
ମନୁଷ୍ୟର ମନ ଖୁବ ଚଞ୍ଚଳ ୤ ମନହିଁ ସବୁବେଳେ ମଣିଷକୁ ନିୟନ୍ତ୍ରଣ କରିଥାଏ ୤ ମନ ସବୁବେଳେ ପ୍ରଶଂସା ନେବାକୁ ଚାହେଁ ୤ ପ୍ରଶଂସାର ପ୍ରଶ୍ନ ଆସିଲେ ମଣିଷ ସବୁବେଳେ କହେ ତାହା ମୋର କିନ୍ତୁ ନିନ୍ଦା ପାଇବାର ଥିଲେ ନିଜକୁ ପଛକୁ ରଖି ଅନ୍ୟକୁ ଆଗକୁ ଠେଲିଦିଏ ୤ ନିଜ ଉପରୁ ଦୋଶ ଛଡାଇବା ପାଇଁ ଅନ୍ୟ ଉପରେ ଦୋଶ ଲଦିଦିଏ ଏହା ହିଁ ଲୋକ ଚରିତ୍ର ୤
ମୋର ଜଣେ ବନ୍ଧୁ ଏକାସହିତ ତଙ୍କର ପୁଅ ଓ ଝିଅ ବିଭାଗର କଲେ ୤ କିଛିଦିନ ପରେ ମୋର ହଠାତ ଦିନେ ବନ୍ଧୁଙ୍କ ସହ ଭେଟ ହେଲା ୤ ମୁଁ ତାଙ୍କୁ ପଚାରିଲି ଆଉ!କେମିତିଅଛ?ସେ ତାଙ୍କର ନାକଟାକୁ ଇଞ୍ଚେ ଉପରକୁ ଟେକି ଦେଇ ଭୃକୁଞ୍ଚନ କରି କହିଲେ କୁହନା-କୁହନା ଭାଇ,ଏମିତି ବୋହୂ ଟେ ମୋ ଭାଗ୍ୟରେ ଥିଲା ୤ ଛିଃଛିଃ ୤ କଣ କହିବି ଦିନ ୮ଟା ନବାଜିଲେ ବିଛଣା ଛାଡୁନି ୤ ପୁଅ ସକାଳେ ଚା କରିଦେଲେ ପିଉଛି ୤ ଇଚ୍ଛା ହେଲେ ରୋଷେଇ କରୁଛି ନହେଲେ  ଯାଇ ହୋଟେଲ ରେ ଖାଇ ଦେଇ ଆମ ବୁଢା ବୁଢୀ ଦୁଇ ଜଣଙ୍କ ପାଇଁ ହୋଟେଲରୁ ଏଣୁ ତେଣୁ କ’ଣ ଟିକେ ଖାଇବା ନେଇଆସୁଛନ୍ତି ୤ ସବୁବେଳେ ବୁଲିବାକୁ ତାର ଇଛା ୤ ତା କଥା ଶୁଣି ମୁଁ ଭାରି ମନ ଦୁଃଖ କରି ସମବେଦନା ଜଣାଇଲି ୤ ପୁଣି ପଚାରିଲି ଆଉ ଝିଅ କେମିତି ଅଛି ? ସଙ୍ଗେ ସଙ୍ଗେ ବିଷଣ୍ଣ ମୁଖ ମଣ୍ଡଳରେ ତାଙ୍କର ହସ ଚହଟି ଗଲା ୤ ଉତ୍‌ଫୁଲ୍ଲିତ ହୋଇ କହିଲେ ଭାଇ ମୋର ଝିଅ ବହୁତ ଭଲରେ ଅଛି ୤ ବହୁତ ଭଲ ଜ୍ୱାଇଁ ଟିଏ ପାଇଛି ୤ ଝିଅ ମୋର ସକାଳେ ୮ଟା ନବାଜିଲେ ବିଛଣା ଛାଡେ ନାହିଁ ୤ ଜ୍ୱାଇଁ ଆମର ସକାଳେ ଚା କରି ସାରି ତାକୁ ଡାକିଲେ ଉଠି ଚା’ ପିଏ ୤ ଆଉ ରୋଷେଇ ବାସ ! ଇଚ୍ଛା ହେଲେ କଲା ନହେଲେ ନାହିଁ ୤ ଚାଲିଯାଇ ହୋଟେଲ ରେ ଖାଇଦେଲେ ଆଉ ବୁଢା ବୁଢୀଙ୍କ ପାଇଁ ଦିଟା ଙ୍କ ପାଇଁ ହୋଟେଲରୁ କ’ଣ ଟିକିଏ ନେଇ ଆସିଲେ ୤ ଯାହା ହେଉ ଝିଅ ମୋର ରାଣୀ ପରି ରହିଛି ୤ ପାଠକେ ଆପଣ ମାନେ ଏଥିରୁ କ’ଣ ବୁଝିଲେ ? ଏହା ହିଁ ଲୋକ ଚରିତ୍ର ୤
ମାନବ ଶରୀର ଆମକୁ ମିଳିଛି କେବଳ ନିଜ କଥା କିମ୍ବା ନିଜ ପରିବାର କଥା ଭାବିବା ଓ ବୁଝିବା ପାଇଁ ନୁହେଁ ବରଂ ନିଜ କଥା ସହିତ ଅନ୍ୟର କଥା , ସମାଜର କଥାଚିନ୍ତା କରିବା ଓ ସେମାନଙ୍କ ପାଇଁ କିଛି କରିବା ଉଚିତ୍‌ ୤
ଅବକ୍ଷୟ ମୂଖୀ ଏ ସମାଜରେ ଆମେ ସମସ୍ତେ ସ୍ୱାର୍ଥପର ହୋଇଯାଇଛୁ ୤ ଏ ସମାଜର ଅଧଃ ପତନ ପାଇଁ ଆମେ କେବେ ନିଜକୁ ଦାୟୀ କରିଛୁ କି ? ସବୁବେଳେ ଅନ୍ୟ କୁ ଦୋଶ ଲଦି ଦେଉଛୁ ୤ ମୁଁ ଯାହା କରୁଛି ଓ ଯାହା କହୁଛି ତାହା ଠିକ କରୁଛି କିନ୍ତୁ ଅନ୍ୟମାନେ ଭୁଲ କରୁଛନ୍ତି ବୋଲି ଅନ୍ୟ ଆଖିରେ ଆଙ୍ଗୁଠି ଗେଞ୍ଜିବା ଆମର ଅଭ୍ୟାସ ହୋଇଯାଇଛି ୤ ଅନ୍ୟର ଯେଉଁ କାର୍ଯ୍ୟ କଳାପ ଓ ବ୍ୟବହାର କୁ ଆମେ ସମାଲୋଚନା କରୁ ଆମେ କେବେ ଚିନ୍ତା କରିଛୁକି ଆମର ଠିକ ସେହିଭଳି ବ୍ୟବହାର ଓ କାର୍ଯ୍ୟ କଳାପ ଅନ୍ୟକୁ ଦୂଃଖ ଦେଉଥିବ ବୋଲି ? ଏହା ହିଁ ତ ଅହଂକାର ୤ ଏହା ହିଁ ଲୋକ ଚରିତ୍ର ୤

ଶ୍ରୀ ମନୋରଞ୍ଜନ ସାହୁ,ଜିଲ୍ଲା ଯୋଜନା ଓ ତଦାରଖ କାର୍ଯ୍ୟାଳୟ,ପରିସଂଖ୍ୟାନ ଶାଖା,ବାଲେଶ୍ୱର

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ