Skip to main content

ଟାଟା ନେଲା ପରେ ପୁଣି ବଢିଲା ବିଜୁଳି କ୍ଷତି

 ଶକ୍ତି କ୍ଷେତ୍ରରେ ସଂସ୍କାର ନାଁ ରେ ଘରୋଇ କଂପାନୀ ସବୁ କିଭଳି ରାଜ୍ୟବାସୀ ଓ ରାଜକୋଷକୁ ଧାରାବାହିକ ଭାବେ ଲୁଟି ଚାଲିଛନ୍ତି ତାର ପ୍ରମାଣ ହେଉଛି ନିକଟରେ ସି ଏ ଜି ଦେଇଥିବା ରିପୋର୍ଟ। ପ୍ରଥମେ ରିଲାଏନ୍ସ ଓ ଏବେ ଟାଟା କଂପାନୀ। ବିଦ୍ୟୁତ ବିତରଣ କଂପାନୀ ଙ୍କ ପାଇଁ ସରକାର ଋଣ କରିବେ, ସୁଧ ବି ଗଣିବେ ହେଲେ ପ୍ରତି ବର୍ଷ ତଣ୍ଡ ଗଣିବେ ଗ୍ରାହକ। ଟ୍ରାନସମିସନ୍ ଓ ଡିଷ୍ଟ୍ରିବ୍ୟୁସନ୍ କ୍ଷତି ହ୍ରାସ କରିବା ପାଇଁ ନବେ ଦଶକ ରେ ୮୦୦ କୋଟି ଋଣ କଲେ ସରକାର। ଅଥଚ ନାଁ କମିଲା ଟି ଆଣ୍ଡ ଡି ଲସ୍ ନା କଂପାନୀ ସୁଝିଲେ ଋଣ।

ରିଲାଏନ୍ସ ଗଲା ପରେ ସରକାର ରାଜ୍ୟବାସୀଙ୍କୁ ଟାଟା କମ୍ପାନୀ ଚକଲେଟ୍ ଦେଖେଇଲେ ହେଲେ ବର୍ଷେ ପରେ ଟି ଆଣ୍ଡ ଡି ଲସ କମିବ କଣ ଓଲଟା ବଢ଼ିବାରେ ଲାଗିଛି। ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ପ୍ରଚେଷ୍ଟା ସତ୍ୱେ ରାଜ୍ୟରେ ବିଦ୍ୟୁତ୍‍ ପରିବହନ ଓ ବଣ୍ଟନ ଜନିତ କ୍ଷତି ବଢି ବଢି ଚାଲିଛି । ଟାଟା ପାୱାରର ଟିପିସିଓଡିଏଲ୍‍ ଇଲାକାରେ ଏହି କ୍ଷତି ସର୍ବାଧିକ ରହିଛି ।ବିଦ୍ୟୁତ୍‍ ପରିବହନ ଓ ବଣ୍ଟନ (ଟିଆଣ୍ଡଡି) କ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ ଠାରୁ ଋଣ ଆଣି ବଣ୍ଟନକାରୀ କମ୍ପାନୀମାନଙ୍କୁ ଯୋଗାଇବା ସହିତ କାପେକ୍ସ ଭଳି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହି କ୍ଷତି କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ଯେତେ ବିଜୁଳି ଉତ୍ପାଦନ ହେଉଛି ତାହା ଗ୍ରାହକଙ୍କ ନିକଟରେ ପହଞ୍ଚିଲା ବେଳକୁ ସିଂହଭାଗ ନଷ୍ଟ ହେଉଛି । ପରୋକ୍ଷରେ ଏହାର ବୋଝ ବି ଗ୍ରାହକମାନଙ୍କୁ ଉଠାଇବାକୁ ପଡୁଛି ।

ଟିପିସିଓଡିଏଲ୍‍ ଇଲାକାରେ ପରିବହନ ଓ ବଣ୍ଟନ ଜନିତ କ୍ଷତି ୨୦୨୦-୨୧ ବର୍ଷରେ ୨୫.୯୦ ପ୍ରତିଶତ ରହିଛି । ୨୦୧୯-୨୦ ରେ ଏଡା ୨୩.୧୫ ପ୍ରତିଶତ ଥିଲା । ତେଣୁ ବର୍ଷକ ମଧ୍ୟରେ ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ସେହିଭଳି ଟିପିଏନ୍‍ଓଡିଏଲ୍‍ ଅଞ୍ଚଳରେ ୧୩.୧୯ ପ୍ରତିଶତରୁ ସିଧା ୨୦.୬୩ପ୍ରତିଶତକୁ ବଢିଛି । ଟିପିଡବ୍ଲ୍ୟୁଡିଏଲ୍‍ ଇଲାକାରେ ଏହା ୧୮.୭୩ ପ୍ରତିଶତରୁ ୨୫.୦୭ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଟିପିଏସ୍‍ଓଡିଏଲ୍‍ ଇଲାକାରେ ଏହା ବର୍ଷକ ମଧ୍ୟରେ ମାତ୍ର ଏକ ପ୍ରତିଶତ ହ୍ରାସ ପାଇଛି । ୨୦୧୯-୨୦ ରେ ଏହି ଇଲାକାରେ କ୍ଷତି ପରିମାଣ ୨୪ ପତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୩ ପ୍ରତିଶତ ହୋଇଛି ।ନବେ ଦଶକରେ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍‍ରୁ ପ୍ରାୟ ୮୦୦ କୋଟି ଟଙ୍କାର ଋଣ ଆଣି ବଣ୍ଟନକାରୀ କମ୍ପାନୀଗୁଡିକୁ ସର୍ତ୍ତମୂଳକ ଭାବେ ଦେଇଥିଲେ । ୪ଟି ବଣ୍ଟନକାରୀ କମ୍ପାନୀମଧ୍ୟରୁ ଯିଏ ଭିତ୍ତିଭୂମିରେ ଉନ୍ନତି ଆଣି ଯେତେ ପରିବହନ ଓ ବଣ୍ଟନ ଜନିତ କ୍ଷତି କମାଇବ ସେହି କମ୍ପାନୀକୁ ସେତିକି କମ୍‍ ସୁଧ ଦେବାକୁ ପଡିବ । ସେତେବେଳ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ସେସୁ ସମେତ ରିଲାୟନ୍ସ ନିୟନ୍ତ୍ରଣରେ ଥିବା ଅନ୍ୟ ତିନିଟି କମ୍ପାନୀ ଏହି ଟଙ୍କାକୁ ନେଇ ଏକ ପ୍ରକାର ଚଳୁ କରିଦେଲେ । ଭିତ୍ତିଭୂମି ବିକାଶ ନକରିବାରୁ କ୍ଷତି କମାଇବାପାଇଁ ଯେଉଁ ଲକ୍ଷ୍ୟଥିଲା ତାହା ପୂରଣ ହୋଇପାରିଲା ନାହିଁ । ଏହି ଋଣର ସୁଧ ମୂଳ ମିଶି ୨ହଜାର କୋଟି ଟଙ୍କାକୁ ଟପିଗଲା ।

ଏବେ ଟାଟା ପାୱାର ହାତକୁ ବିଜୁଳି ବଣ୍ଟନ ଯିବାପରେ ଭିତ୍ତିଭୂମିରେ ଆଖିଦୃଶିଆ ଉନ୍ନତି ପରିବର୍ତ୍ତେ ଲୋକଙ୍କ ବିଦ୍ୟୁତ୍‍ ମିଟର ବଦଳାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଯେଉଁମାନଙ୍କର କାର୍ଯ୍ୟକ୍ଷମ ମିଟର ରହଛି ତାହା ସ୍ଥାନରେ ନୂଆ ମିଟର ଲାଗୁଛି । ଯଦିଓ ବଣ୍ଟନକାରୀ କମ୍ପାନୀମାନେ ସଫେଇ ଦେଉଛନ୍ତି ଯେ ପରିବହନ ଓ ବଣ୍ଟନ ଜନିତ କ୍ଷତିର ବୋଝ ଗ୍ରାହକଙ୍କ ଉପରେ ପଡୁନାହିଁ, କିନ୍ତୁ ପରୋକ୍ଷ ଭାବେ ଏହାର ବୋଝ ରାଜ୍ୟବାସୀ ହିଁ ଉଠାଉଛନ୍ତି ।

ବଳକା ବିଦ୍ୟୁତ୍‍ ରାଜ୍ୟ ଓଡିଶାର ଗାଁ ଗହଳରେ ଘନ ଘନ ବିଦ୍ୟୁତ୍‍ କାଟ୍‍ ଏହାର ଅନ୍ୟତମ କାରଣ ବୋଲି ମତପ୍ରକାଶ ପାଉଛି । ବର୍ତ୍ତମାନ ଟାଟାପାୱାର କର୍ତ୍ତୃପକ୍ଷ ସହରାଞ୍ଚଳରେ ଗୁରୁତ୍ୱ ଦେଉଥିବାବେଳେ ଗାଁ ଗହଳରେ ବିଜୁଳି ବ୍ୟବସ୍ଥା ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କ ହାତରେ ଏକ ପ୍ରକାର ଛାଡି ଦେଇଛନ୍ତି l



ସତ୍ୟ ପାଠ


POPULAR POSTS

MMG କର୍ମଚାରୀ ଙ୍କୁ ମିଳିଲା ନ୍ୟାୟ

Happy New Year 2025

"ବିଶ୍ୱାସ ଭଙ୍ଗ: ଶ୍ରମିକଙ୍କ ଅଧିକାର ବିରୋଧୀ କାର୍ଯ୍ୟକଳାପ"