Sunday, October 20, 2013

ଅପେକ୍ଷାର ଫଳ ମିଠା



ବାସ୍ତବରେ ଅପେକ୍ଷା ଶବ୍ଦଟି ଅତି ନିଆରା ୤ ଶବ୍ଦଟି ମୁଖରୁ ଉଚ୍ଚାରିତ ହେବା ମାତ୍ରେ , ମନରେ ନାନା ପ୍ରକାର ପ୍ରଶ୍ନ ଉଙ୍କି ମାରେ ୤ ଯେପରି କେତେ ଦିନ , କେତେ ସମୟ , କେତେ ବର୍ଷ ୤ ଏହି ଭଳି ନାନା ପ୍ରଶ୍ନ ୤ ମାତ୍ର ଏସବୁ ପ୍ରଶ୍ନର ଉତ୍ତର ଅତି ସରଳ ଭାବରେ କେତୋଟି ଅକ୍ଷର ର ସମାହାରରେ ପୂର୍ବରୁ ମହାପୁରୁଷ ମାନେ କହିଯାଇଛନ୍ତି ୤ ତାହା ଆପଣ ମାନେ ସମସ୍ତେ ଜାଣନ୍ତି ୤ ସେଥିପାଇଁ ଲେଖିବାକୁ ଆବଶ୍ୟକ ମନେକରୁନାହିଁ ୤ ବାସ୍ତବରେ ଏହି ଶବ୍ଦଟି ମଣିଷ ଜୀବନର ଧୈର୍ଯ୍ୟର ପରୀକ୍ଷା ନେଲାପରି ଜଣାଯାଏନିକି ? କିନ୍ତୁ ମୋର କାହିଁକି ମନେହୁଏ ଏହି ଶବ୍ଦଟି ସତେ ଯେମିତି ମଣିଷର ପ୍ରକୃତ ମଣିଷ ପଣିଆକୁ ପ୍ରକାଶ କରିବାରେ ସାହାଯ୍ୟ କରେ ଓ ବିପଥଗାମୀ ମଣିଷକୁ ସୁପଥଗାମୀ କରିଥାଏ ୤ ସେ ଯାହା ହେଉନା କାହିଁକି ଅପେକ୍ଷା ର ଫଳ ମିଠାଏହି କଥା ପଦକ ମନେ ପଡିଲେ ମୋର ମନେ ପଡିଥାଏ ସେହି ପୂର୍ବ ଇତିହାସ ୤
ସେଦିନ ଥିଲା ୨୦୦୯ ମସିହା ୤ ସେପ୍ଟେମ୍ବର ୧ ତାରିଖ ୤ ମନରେ ଅନେକ ଆଶା ବିଶ୍ୱାସ କୁ ନେଇ ଆମ୍ଭେ ମାନେ ସମସ୍ତେ ଏକତ୍ରିତ ହେଲୁ ବାଲେଶ୍ୱର ଥର୍ମାଲ କଲୋନୀ,ଶୋଭାରାମପୁର ସ୍ଥିତ ନେସ୍କୋ ଶକ୍ତି କର୍ମଚାରୀ ସଂଘ ପ୍ରାଙ୍ଗଣରେ ୤ ସମୟ ସକାଳ ପ୍ରାୟ ୯ ଘଟିକା ୤ ସକାଳ ସୂର୍ଯ୍ୟର ସୁନେଲି କିରଣ ବିଞ୍ଚିହୋଇ ପଡିଥାଏ ପୃଥିବୀ ପୃଷ୍ଠରେ ୤ ଠିକ ଏହି ସମୟରେ ନିର୍ଦ୍ଦେଶ ଆସିଲା ସମସ୍ତଙ୍କୁ ନେସ୍କୋ କର୍ପୋରେଟ ଅଫିସ୍‌ ପାଖକୁ ଯିବାପାଇଁ ୤ ଆମ୍ଭେମାନେ ସମସ୍ତେ ଚାଲିଲୁ ନିର୍ଦ୍ଦେଶିତ ପଥ ଅଭିମୂଖେ ୤ ସେଠିଯାଇ ପହଞ୍ଚିବାର ଅଳ୍ପ ସମୟ ପରେ ଆମ୍ଭମାନଙ୍କର ପ୍ରିୟ ସଂଘର ମୂଖ୍ୟ ଉପଦେଶ୍ଟା ନନା ଆସି ପହଞ୍ଚିଲେ ୤ ସଂଘର ସାଧାରଣ ସମ୍ପାଦକଙ୍କର ଅନୂରୋଧ କ୍ରମେ ନନା ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କଲେ ୤ ଏହି ସମୟରେ ବାଜି ଉଠିଲା ବାଦ୍ୟଯନ୍ତ୍ରର ଝଙ୍କାର ଓ ଭାସିଆସୁଥିଲା ସୁମଧୂର କଣ୍ଠସ୍ୱର ଯେଉଁଥିରେ ବନ୍ଦନା କରାଯାଉଥିଲା ସେହି ଭାରତ ମାଙ୍କୁ ବନ୍ଦେ ଉତ୍କଳ ଜନନୀ ସଂଗୀତ ମାଧ୍ୟମରେ ୤
ମନେହେଉଥାଏ ସତେ ଯେମିତି ଆଜି ସ୍ୱୟଂ ଉତ୍କଳର ଜନନୀ ଧରାପୃଷ୍ଠକୁ ଅବତରଣ କରିଛନ୍ତି ଆମ୍ଭଂମାନଙ୍କର ଦୂଃଖ ଦୁର କରିବା ପାଇଁ ୤ ଯୁଗ ଯୁଗ ଧରି ଯେଭଳି ମା’ ବିଭିନ୍ନ ରୂପରେ ଧରାପୃଷ୍ଠକୁ ଅବତରଣ କରିଥିଲେ ଅସତ୍ୟ,ଅଧର୍ମକୁ ନାଶ କରି ସତ୍ୟ ଓ ଶାନ୍ତିର ପ୍ରତିଷ୍ଠା ପାଇଁ ୤ କିଛି ସମୟ ସତେ ଯେମିତି ମୋର ମନେ ହେଉଥାଏ ଆଜିଠାରୁ ନେସ୍କୋରେ ଦୂର୍ନୀତି ହଟିଯିବ,ନ୍ୟାୟ ପ୍ରତିଷ୍ଠା ହେବ, ମାତ୍ର ସେ ଆଶା ମୋର ବେଶୀ ସମୟ ପାଇଁ ତିଷ୍ଠି ରହିପାରିଲା ନାହିଁ ୤
ମଞ୍ଚାସୀନ ସମସ୍ତ ଅତିଥି ପ୍ରଦାନ କରିବା ପରେ ଆରମ୍ଭ ହୋଇଥିଲା ସଭା କାର୍ଯ୍ୟ ୤ ପ୍ରଥମରୁ ସମସ୍ତେ ବଖାଣି ଚାଲିଥାନ୍ତି ନେସ୍କୋରେ ହେଉଥିବା ଦୂର୍ନୀତି ଓ ଶ୍ରମିକ  ମାରଣ ନୀତି ସମ୍ବନ୍ଧରେ ୤ ସମସ୍ତେ ଗୋଟିଏ କଥା କହୁଥିଲେ ଶ୍ରମିକ ମାନଙ୍କୁ ତାଙ୍କର ନ୍ୟାୟ ଦିଆଯାଉ ୤ ମାତ୍ର ପ୍ରତ୍ୟୁଉତ୍ତରରେ କିଛି ମିଳୁନଥାଏ ୤ ଶେଷରେ ସଂଘର ସାଧାରଣ ସଂପାଦକ ୨୫ ଦଫା ଦାବିପତ୍ର ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ ଓ ଶ୍ରମିକ ମାନଙ୍କର ନ୍ୟାୟ ପାଇଁ ସ୍ୱର ଉଠାଇ କହିଥିଲେ , ଯେପର୍ଯ୍ୟନ୍ତ ଏ ପିଣ୍ଡରେ ପ୍ରାଣ ଥିବ ସେପର୍ଯ୍ୟନ୍ତ ମୁଁ ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିଥିବି ୤ ଏହି କଥା ପଦକ ତାଙ୍କ ମୂଖରୁ ଶୁଣିବା ମାତ୍ରେ  ମୁଁ ଖୁସିରେ ପାଗଳ ହୋଇ ଯାଇଥିଲି ୤ ପ୍ରକୃତରେ ମୋର ମନେ ପଡିଯାଇଥିଲା ସେହି ଆଦି ପୁରାଣ ଭାଗବତର କଥା ପଦକ –
                  ମୁକଂ କରୋତି ବାଚାଳଂ ପଙ୍ଗୁ ଲଂଘୟତେ ଗିରି
              ଯତ୍‌ କୃପା ତ୍ୱମହଂ ବନ୍ଦେ ପରମାନନ୍ଦ ମାଧବଂ ୤
ଭଗବାନଙ୍କର ଦୟା ହେଲେ ପଙ୍ଗୁ ଯେଭଳି ଗିରିପଥକୁ ଅତିକ୍ରମ କରିପାରେ ମୁକ ମଧ୍ୟ ବାଚାଳ ହୋଇପାରେ , ଠିକ ସେହିପରି ନେସ୍କୋ ଶକ୍ତି କର୍ମଚାରୀ ସଂଘ ର ସାଧାରଣ ସମ୍ପାଦକ ଚାହିଁଲେ ନେସ୍କୋରୁ ଦୁର୍ନୀତି ହଟିପାରିବ ଓ ଆମକୁ ନ୍ୟାୟ ମିଳି ପାରିବ-ଏହି ଆଶା ଟିକକ ମୋ ମନରେ ଦୃଢ ନିଶ୍ଚିତ ହୋଇଥିଲା ୤
ତାପରେ ସଂଘର ଉପଦେଷ୍ଟା ନନା ତାଙ୍କର ବକ୍ତବ୍ୟ ରଖିଥିଲେ ୤ ସେ ମଧ୍ୟ ନେସ୍କୋରେ ହେଉଥିବା ଅନ୍ୟାୟର ଦୃଢପ୍ରତିବାଦ କରିଥିଲେ ଓ ଆମ୍ଭମାନଙ୍କୁ ଆମର ନ୍ୟାୟ ପାଇଁ ଲଢେଇ କରିବାକୁ ଆହ୍ୱାନ କରିଥିଲେ ୤ ସେ ତାଙ୍କ ଭାଷଣରେ ଏହି କଥା ପଦକ କହିଥିଲେ , ଯେ ପର୍ଯ୍ୟନ୍ତ ଆମେ ଆମର ନ୍ୟାୟ ନପାଇଛୁ ,ସେ ପର୍ଯ୍ୟନ୍ତ ଆମର ଆନ୍ଦୋଳନ ଜାରି ରଖିବୁ ଏବଂ ସେଥିପାଇଁ ଦରକାର ଧୈର୍ଯ୍ୟ ଓ ଅପେକ୍ଷା ୤ ସେ ମଧ୍ୟ ଏ କଥା କହିଥିଲେ – ଅପେକ୍ଷା ର ଫଳ ମିଠା ୤ ସେହି ଦିନ ଠାରୁ ଆମ୍ଭେମାନେ ସମସ୍ତେ ଅପେକ୍ଷା କରି ଧୈର୍ଯ୍ୟର ସହିତ ସବୁ ବାଧା ବିଘ୍ନକୁ ଅତିକ୍ରମ କରି ଆଜି ଏହି ସଫଳତାର ଶୀର୍ଷରେ ପହଞ୍ଚି ପାରିଛୁ ୤ ଦିନ ନୁହେଁ , ମାସ ନୁହେଁ , ବର୍ଷେ ନୁହେଁ , ବର୍ଷ ବର୍ଷ ଧରି ନିରବିଚ୍ଛିନ ଭାବେ ୩ ବର୍ଷ ଧାରଣା ଦେଇ ଅପେକ୍ଷା ପରେ ଅପେକ୍ଷା ୤ ମନରେ ଯେତେ ବେଳେ ନାନା ପ୍ରକାର ଅବିଶ୍ୱାସ ବସା ବାନ୍ଧେ ସେତେବେଳେ ନନାଙ୍କର ଏହି କଥା ପଦକ ପୁଣି ନୂଆ ଆଶା ସୃଷ୍ଟିକରେ ଏଇ କଅଁଳ ମନରେ ୤ ବାସ୍ତବରେ ଆଜି ମୁଁ ହୃଦୟଙ୍ଗମ କରିଛି ସେହି କଥା ପଦକର ମହାତ୍ମ୍ୟ ୤
ଆଜି ସେ ସମସ୍ତ ଅବିଶ୍ୱାସର ଅନ୍ଧାର ଦୂର ହୋଇଛି ୤ ସେହି ମହାନ ମହାତ୍ମାଙ୍କର ମହତ୍‌ ବାଣୀ ଦ୍ୱାରା ୤ ସତରେ ଏହି କଥା ପଦକ ଆମ୍ଭ ସମସ୍ତଙ୍କ ମନରେ ସର୍ବଦା ରହିବା ଉଚିତ୍‌ ନୁହେଁ କି ? ତାହା ପାଠକେ ବିଚାର କରିବେ ୤ ମୁଁ କିନ୍ତୁ ଏହି ବାଣୀ କୁ ମୋ ଜୀବନର ବ୍ରତୀରୂପେ ଗ୍ରହଣ କରିଛି    ସେହି ମହାନ ବ୍ୟକ୍ତିଙ୍କ ପଦ ପଙ୍କଜରେ ବାରମ୍ବାର ପ୍ରଣାମ ଜଣାଉଛି ୤
                 
                              ନିଗମାନନ୍ଦ ଗିରି,ଅସ୍ଥାୟୀ କର୍ମଚାରୀ,ନେସ୍କୋ

No comments:

Post a Comment

 ନେସ୍କୋ ଶକ୍ତି କର୍ମଚାରୀ ସଂଘ  ର ଜଳେଶ୍ଵର ଶାଖା ଦ୍ୱାରା ବାର୍ଷିକ ସମ୍ମିଳନୀ ୧୦ / ୨/୨୦୨୩ରିଖ ଜଳେଶ୍ଵରସ୍ଥିତ ସେକସନ୍ -9 ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ